ଶ୍ରେଣୀକକ୍ଷ

  • ପ୍ରତ୍ୟେକ ବିଦ୍ୟାଳୟରେ ୧୮ଟି ଶ୍ରେଣୀଗୃହ ଅଛି । ସେଥିମଧ୍ୟରୁ ଗୋଟିଏ କିମ୍ବା ଏକାଧିକ ହେଉଛି ମଡେଲ୍ ସ୍ମାର୍ଟ ଶ୍ରେଣୀଗୃହ ଯେଉଁଥିରେ ଆଇ.ସି.ଟି. ଭିତ୍ତିଭୂମି ଏବଂ ଇଣ୍ଟରନେଟ୍ ସଂଯୋଗ ରହିଛି । ପରବର୍ତ୍ତୀ ପର୍ଯ୍ୟାୟରେ ସମସ୍ତ ଶ୍ରେଣୀଗୃହକୁ ସ୍ମାର୍ଟ ଶ୍ରେଣୀଗୃହରେ ପରିଣତ କରିବା ପାଇଁ ପଦକ୍ଷେପ ନିଆଯାଇଛି।

ପ୍ରୟୋଗଶାଳା/ପରୀକ୍ଷାଗାର

  • ଛାତ୍ରଛାତ୍ରୀମାନେ ସେମାନଙ୍କ ଚିନ୍ତାଧାରାକୁ ବିକଶିତ କରିବା ପାଇଁ ନୂଆ ନୂଆ ତଥ୍ୟ ଆବିଷ୍କାର କରିବା, ନୂତନ ଦିଗନ୍ତର ଅନୁସନ୍ଧାନ କରିବା ଏବଂ ତାହାର ପରୀକ୍ଷଣ କରିବା ନିମନ୍ତେ ରାଜ୍ୟର ସମସ୍ତ ବିଦ୍ୟାଳୟରେ ସବୁ ପ୍ରକାରର ସୁବିଧା ଥିବା ପ୍ରୟୋଗଶାଳାମାନ ରହିଛି । ପରୀକ୍ଷଣରୁ ଛାତ୍ରଛାତ୍ରୀମାନଙ୍କୁ ନୂତନ ଧାରଣା ମିଳିବା ସହ ସେମାନଙ୍କ ବୈଜ୍ଞାନିକ ଯୁକ୍ତିସମ୍ମତ ଦକ୍ଷତାର ବିକାଶ ଘଟିଥାଏ, ଜ୍ଞାନବୃଦ୍ଧି ହୋଇଥାଏ ଏବଂ ବ୍ୟାବହାରିକ କୌଶଳ ତଥା ଦକ୍ଷତା ବିକଶିତ ହୋଇଥାଏ । ଏହି ପ୍ରୟୋଗଶାଳାଗୁଡିକରେ ଛାତ୍ରଛାତ୍ରୀମାନେ ସେମାନଙ୍କ ବିଜ୍ଞାନ ପ୍ରକଳ୍ପ ପ୍ରସ୍ତୁତ କରି ନିଜ ବିଦ୍ୟାଳୟରେ ଏବଂ ବିଭିନ୍ନ ଅନ୍ତର୍ବିଦ୍ୟାଳୟ ପ୍ରଦର୍ଶନୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥାନ୍ତି ।

ପଦାର୍ଥବିଜ୍ଞାନ

  • ଛାତ୍ରଛାତ୍ରୀମାନଙ୍କ କୌତୁହଳ ଏବଂ ଆଗ୍ରହକୁ ଦୃଷ୍ଟିରେ ରଖି ପଦାର୍ଥ ବିଜ୍ଞାନ ପ୍ରୟୋଗଶାଳାରେ ପରୀକ୍ଷା ପାଇଁ ଉଦ୍ଦିଷ୍ଟ ଗ୍ୟାଜେଟ୍, କିଟ୍, ଚାର୍ଟ ଉପକରଣ, ମଡେଲ୍, ଲେନ୍ସ, ଚୁମ୍ବକ, ସ୍ପ୍ରିଂଗ ବାଲାନ୍ସ,, ବିମ୍ ବାଲାନ୍ସ ଇତ୍ୟାଦି ସଜ୍ଜିତ ହୋଇ ରହିଅଛି । ଉଦ୍ଦେଶ୍ୟ ହେଉଛି ପରୀକ୍ଷଣ ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ପଦାର୍ଥବିଜ୍ଞାନର ବାସ୍ତବ ଦିଗଗୁଡ଼ିକ ସହ ପରିଚିତ କରାଇବା ।

ରସାୟନବିଜ୍ଞାନ

  • ରାସାୟନିକ ପଦାର୍ଥର ନିରାପଦ ସଂରକ୍ଷଣ ସୁବିଧା, ପ୍ରାଥମିକ ଚିକିତ୍ସା ଉପକରଣ, ଉପଯୁକ୍ତ ବାୟୁଚଳାଚଳ ଏବଂ ପରୀକ୍ଷଣ ପାଇଁ ପର୍ଯ୍ୟାପ୍ତ ସ୍ଥାନ ସହିତ ସି.ବି.ଏସ୍.ଇ.ଦ୍ୱାରା ନିର୍ଦ୍ଦେଶିତ ସୁରକ୍ଷା ନିୟମ ପ୍ରତି ଦୃଷ୍ଟି ରଖି ରସାୟନବିଜ୍ଞାନ ପ୍ରୟୋଗଶାଳାଗୁଡ଼ିକ ନିର୍ମାଣ କରାଯାଇଅଛି ।

ଜୀବବିଜ୍ଞାନ

  • ପର୍ଯ୍ୟବେକ୍ଷଣ ଏବଂ ପରୀକ୍ଷଣ ନିମନ୍ତେ ଜୀବବିଜ୍ଞାନ ପ୍ରୟୋଗଶାଳାରେ ମାଇକ୍ରୋସ୍କୋପ୍, ବିଭିନ୍ନ ଉପକରଣ, ବିଭିନ୍ନ ନମୁନା, ମଡେଲ୍, ବାୟୋ-ଭିଜୁଆଲ୍ ଚାର୍ଟ ଇତ୍ୟାଦି ଯୋଗାଇ ଦିଆଯାଇଅଛି । ବିଭିନ୍ନ ଉଦ୍ଭିଦ ଏବଂ ପ୍ରାଣୀମାନଙ୍କ ସଂପର୍କରେ ଛାତ୍ରଛାତ୍ରୀମାନଙ୍କ ଜ୍ଞାନ ଏବଂ ଧାରଣା ବଢ଼ାଇବା ଉଦ୍ଦେଶ୍ୟରେ ଏହି ପ୍ରୟୋଗଶାଳାର ପରିକଳ୍ପନା କରାଯାଇଅଛି ।

କମ୍ପ୍ୟୁଟର (ଆଇ.ସି.ଟି.-ସୂଚନା ଏବଂ କମ୍ପ୍ୟୁଟର ପ୍ରଯୁକ୍ତିବିଦ୍ୟା)

  • ଆମ ଜୀବନଧାରଣର ମାନରେ ଉନ୍ନତି ପାଇଁ ପ୍ରଯୁକ୍ତିବିଦ୍ୟା ହେଉଛି ଏକ ପ୍ରମୁଖ ମାଧ୍ୟମ । ଛାତ୍ରଛାତ୍ରୀମାନେ ଆତ୍ମବିଶ୍ୱାସର ସହିତ କଲେଜରେ ପ୍ରବେଶ କରିବା ପାଇଁ ସେମାନଙ୍କୁ ପ୍ରସ୍ତୁତ କରିବା ସକାଶେ ବିଦ୍ୟାଳୟ ସ୍ତରରୁ ମୌଳିକ କମ୍ପ୍ୟୁଟର ଶିକ୍ଷା ହାସଲ କରିବା ଆବଶ୍ୟକ । ଏଥିପାଇଁ ପ୍ରତି ଆଦର୍ଶ ବିଦ୍ୟାଳୟରେ ଅତ୍ୟାଧୁନିକ କମ୍ପ୍ୟୁଟର, ପ୍ରିଣ୍ଟର୍, ସ୍କାନର୍ ଏବଂ ଇଣ୍ଟରନେଟ ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ବିଦ୍ୟାଳୟରେ ଜଣେ ଲେଖାଏଁ ପୂର୍ଣ୍ଣକାଳୀନ କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତ କରି ଛାତ୍ରଛାତ୍ରୀମାନଙ୍କୁ କମ୍ପ୍ୟୁଟର ସହିତ ପରିଚିତ କରାଇବା ସହ ସେମାନଙ୍କ ପାଇଁ ଅତ୍ୟାବଶ୍ୟକ କମ୍ପ୍ୟୁଟର ଶିକ୍ଷା ଦକ୍ଷତାକୁ ମଜବୁତ କରାଯାଉଛି ।

ସଙ୍ଗୀତ ଓ ନୃତ୍ୟ

  • ସଙ୍ଗୀତ ଶିକ୍ଷାରେ ଉନ୍ନତି ଆଣିବା ସହ ସଂସ୍କୃତିକୁ ପୁନରୁଜ୍ଜୀବିତ କରିବା ପ୍ରୟାସରେ ଛାତ୍ରଛାତ୍ରୀମାନଙ୍କ ପାଇଁ ସଂଗୀତ ଏବଂ ନୃତ୍ୟ ଶିକ୍ଷାର ବ୍ୟବସ୍ଥା କରାଯାଇଛି । ଏ କ୍ଷେତ୍ରରେ ସେମାନଙ୍କ ଦକ୍ଷତାକୁ ମାର୍ଜିତ କରିବା ପାଇଁ ସଙ୍ଗୀତ ଏବଂ ନୃତ୍ୟ ପରୀକ୍ଷାଗାର ସ୍ଥାପନ କରାଯାଇଛି । ବିଦ୍ୟାଳୟରେ ଉଭୟ ଭାରତୀୟ ଏବଂ ପାଶ୍ଚାତ୍ୟ ଶୈଳୀରେ ତାଲିମପ୍ରାପ୍ତ ସଙ୍ଗୀତ ଓ ନୃତ୍ୟ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି ।

ଗ୍ରନ୍ଥାଗାର

  • ଆଦର୍ଶ ବିଦ୍ୟାଳୟ ପାଠାଗାରଗୁଡ଼ିକରେ ବିଭିନ୍ନ ପ୍ରକାରର ପୁସ୍ତକ ରହିଛି । ଅତିରିକ୍ତ ପଠନ ସାମଗ୍ରୀ ଯୋଗାଇଦେବା ଦ୍ୱାରା ନୂତନ ଜ୍ଞାନ ହାସଲ ଏବଂ ପଠନ ଅଭ୍ୟାସ ସୃଷ୍ଟିରେ ଏହା ବିଦ୍ୟାଳୟର ପ୍ରତ୍ୟେକ ସଦସ୍ୟଙ୍କୁ ସାହାଯ୍ୟ କରିଥାଏ । ଯତ୍ନସହକାରେ ଚୟନ କରାଯାଇଥିବା ପୁସ୍ତକଗୁଡ଼ିକ ପିଲାମାନଙ୍କୁ ଜ୍ଞାନ ଓ ଦକ୍ଷତାରେ ସଜ୍ଜିତ କରିଥାଏ ଏବଂ ସେମାନଙ୍କ କଳ୍ପନାଶକ୍ତି ଓ ସୃଜନଶୀଳତା ବୃଦ୍ଧିରେ ସାହାଯ୍ୟ କରିଥାଏ । ଏହି ପାଠାଗାରରେ ଅଭିଧାନ, ଜୀବନୀ, ବିଶିଷ୍ଟ ବ୍ୟକ୍ତିମାନଙ୍କ ଆତ୍ମଜୀବନୀ, ବିଭିନ୍ନ ବିଶ୍ୱକୋଷ, ସାର୍ଥକ ଗଳ୍ପ ପୁସ୍ତକ, ସମସ୍ତ ବିଷୟ ଉପରେ ସନ୍ଦର୍ଭ ପୁସ୍ତକ, ବୁଲେଟିନ, ଜର୍ଣ୍ଣାଲ, ଖବରକାଗଜ ଏବଂ ଆହୁରି ଅନେକ କିଛି ରହିଛି ।

କ୍ରୀଡା

  • ଛାତ୍ରଛାତ୍ରୀମାନଙ୍କ କ୍ରୀଡ଼ା ପ୍ରତିଭାକୁ ଆଗକୁ ବଢ଼ାଇନେବା ପାଇଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ କ୍ରୀଡ଼ାକୁ ଅନ୍ୟାନ୍ୟ ବିଷୟ ଭଳି ସମାନ ଗୁରୁତ୍ୱ ଦିଆଯାଉଛି । ଏହାଦ୍ୱାରା ସେମାନେ ଶିଷ୍ଟାଚାର, ଶୃଙ୍ଖଳା, ସହନଶୀଳତା, ଧୈର୍ଯ୍ୟ, ମାନସିକ ଚାପର ମୁକାବିଲା କରିବାକୁ ସାମର୍ଥ୍ୟ ଓ ଗୋଷ୍ଠୀଭାବର ମୂଲ୍ୟବୋଧ ଶିକ୍ଷା କରିପାରୁଛନ୍ତି । ଛାତ୍ରଛାତ୍ରୀମାନେ ବିଭିନ୍ନ କ୍ରୀଡ଼ା ଓ ତତ୍‍ସଂପର୍କିତ ଅନ୍ୟାନ୍ୟ କ୍ରିୟାକଳାପରେ ଅଂଶଗ୍ରହଣ କରିବା ପାଇଁ ସେମାନଙ୍କୁ ସବୁ ପ୍ରକାରେ ପ୍ରୋତ୍ସାହିତ କରାଯାଉଛି । ସେମାନଙ୍କ ପ୍ରେରଣାକୁ ପ୍ରଜ୍ଜ୍ୱଳିତ ରଖିବା ନିମନ୍ତେ ନିୟମିତ ଭାବରେ ଅନ୍ତଃ ସଦନ ପ୍ରତିଯୋଗିତାର ଆୟୋଜନ କରାଯାଉଛି ।
  • ସ୍କୁଲ୍‌ଗୁଡ଼ିକରେ ନିମ୍ନମତେ ବହିର୍କ୍ରୀଡ଼ା ଏବଂ ଅନ୍ତର୍କ୍ରୀଡ଼ାର ସୁବିଧା ରହିଛି :
  • ଫୁଟବଲ
  • ବାସ୍କେଟ ବଲ
  • କବାଡ଼ି
  • ଖୋ ଖୋ
  • ଭଲିବଲ
  • କ୍ରିକେଟ
  • ବ୍ୟାଡ଼୍‍ମିଣ୍ଟନ
  • ହକି
  • ଆଥ୍‍ଲେଟିକ୍ସ

ସଙ୍ଗୀତ/କଳା

  • ସଙ୍ଗୀତ ଶିଶୁମାନଙ୍କ ମସ୍ତିଷ୍କ ବିକାଶରେ, ସୃଜନଶୀଳତା ବୃଦ୍ଧିରେ, ପଢ଼ିବା ଓ ବୁଝିବାର ସାମର୍ଥ୍ୟ ବୃଦ୍ଧିରେ ଏବଂ ଶୁଣିବାର ଦକ୍ଷତା ବୃଦ୍ଧିରେ ସାହାଯ୍ୟ ଉନ୍ନତ କରେ । ପ୍ରତିଟି ଆଦର୍ଶ ବିଦ୍ୟାଳୟରେ ସଙ୍ଗୀତ ଶିକ୍ଷା ପାଇଁ ଏକ ସ୍ୱତନ୍ତ୍ର କକ୍ଷ ରହିଛି, ଯେଉଁଠାରେ ଛାତ୍ରଛାତ୍ରୀମାନଙ୍କୁ ହର୍ମୋନିୟମ୍, ତାବଲା, କି’ବୋର୍ଡ଼ ଇତ୍ୟାଦି ସଙ୍ଗୀତ ଉପକରଣର ବ୍ୟବହାର ଏବଂ କଣ୍ଠସଂଗୀତ ତଥା ନୃତ୍ୟ ଶିକ୍ଷା ଦିଆଯାଉଛି ।

କ୍ଲବ

  • ଆମେ ସମସ୍ତ ବିଦ୍ୟାଳୟରେ ସହ-ପାଠ୍ୟକ୍ରମୀୟ କାର୍ଯ୍ୟକଳାପରେ ଛାତ୍ରଛାତ୍ରୀମାନଙ୍କୁ ସାମିଲ କରିବା ପାଇଁ ନିମ୍ନମତେ ବିଭିନ୍ନ ବିଷୟରେ କ୍ଲବ୍‍ମାନ ସ୍ଥାପନ କରୁଛୁ । ଏହା ଛାତ୍ରଛାତ୍ରୀମାନଙ୍କର ଆତ୍ମବିଶ୍ୱାସ ବୃଦ୍ଧି ସହ ଓ ଗୋଷ୍ଠୀଭାବ ବଢ଼ାଇବାରେ ସାହାଯ୍ୟ କରିବ।
  • ସଙ୍ଗୀତ କ୍ଲବ
  • ନୃତ୍ୟ କ୍ଲବ
  • ପରିବେଶ କ୍ଲବ
  • ତର୍କ ପ୍ରତିଯୋଗିତା କ୍ଲବ
  • ଖଗୋଳ ବିଦ୍ୟା କ୍ଲବ
  • ଗଣିତ କ୍ଲବ
  • କୁଇଜ କ୍ଲବ

ଏନ୍.ସି.ସି./ସ୍କାଉଟ୍ସ

  • ଆଦର୍ଶ ବିଦ୍ୟାଳୟଗୁଡିକରେ ଏନ୍‍.ସି.ସି. ସ୍କାଉଟ୍ସ ଏବଂ ଗାଇଡ୍ସ ସୁବିଧା ଉପଲବ୍ଧ କରାଯାଇଛି । ଏ ସବୁର ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ବ୍ୟକ୍ତିତ୍ୱ ବିକାଶରେ ସାହାଯ୍ୟ କରିବ ଏବଂ ସେମାନଙ୍କ ମଧ୍ୟରେ ସାମାଜିକ ଦାୟିତ୍ୱବୋଧ ସହ ଜାତୀୟତାବୋଧ ଜାଗ୍ରତ କରିବ । ଛାତ୍ରଛାତ୍ରୀମାନେ ଭବିଷ୍ୟତରେ ନିଜକୁ ଆତ୍ମବିଶ୍ୱାସ ଏବଂ ସାହସ-ସଂପନ୍ନ ବ୍ୟକ୍ତିଭାବେ ମଧ୍ୟ ଗଢ଼ି ତୋଳିପାରିବେ ।

ସଦନ

ପ୍ରତ୍ୟେକ ଆଦର୍ଶ ବିଦ୍ୟାଳୟରେ ଏକାପ୍ରକାରର ସଦନ ବ୍ୟବସ୍ଥା ରହିଛି ଯାହା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପାରସ୍ପରିକ ବନ୍ଧୁଭାବ, ସହଯୋଗ, ସମରସତା ସହ ନିଜ ନିଜ ପାଇଁ ସ୍ବତନ୍ତ୍ର ପରିଚୟ ବିକାଶରେ ସାହାଯ୍ୟ କରେ। ଚାରିଟି ସଦନର ନାମ ରାଜ୍ୟର ଚାରିଟି ମୁଖ୍ୟ ନଦୀର ନାମାନୁକରଣରେ ରଖାଯାଇଛି ।

  • ମହାନଦୀ ସଦନ - ଲାଲ୍‍ (ନୀତିବାକ୍ୟ - ଗର୍ବ ଆମ ପାଖେ ପାଖେ)
  • ବ୍ରାହ୍ମଣୀ ସଦନ - ନୀଳ (ନୀତିବାକ୍ୟ – ଆବେଗ ଓ ଲକ୍ଷ୍ୟ)
  • ସୁବର୍ଣ୍ଣରେଖା ସଦନ – ସବୁଜ (ନୀତିବାକ୍ୟ - ଗୌରବର ସହ ଅଗ୍ରସର ହୁଅ)
  • ବଂଶଧାରା ସଦନ - ହଳଦିଆ (ନୀତିବାକ୍ୟ – ମର୍ଯ୍ୟାଦାର ସହ ବଢ଼)

ପ୍ରତ୍ୟେକ ସଦନ ଜଣେ ହାଉସ୍ ମାଷ୍ଟର୍/ମିଷ୍ଟ୍ରେସ୍ ଓ ସହଯୋଗୀ (ଶିକ୍ଷକ/ଶିକ୍ଷିକା)ଙ୍କ ନିର୍ଦ୍ଦେଶରେ ପରିଚାଳିତ କରାଯାଇଥାଏ। ପ୍ରତ୍ୟେକ ସଦନରେ ଛାତ୍ରଛାତ୍ରୀମାନେ ହାଉସ୍ କ୍ୟାପ୍ଟେନ, ଭାଇସ୍-କ୍ୟାପ୍ଟେନ, ସାଂସ୍କୃତିକ ସଚିବ, କ୍ରୀଡ଼ା ସଚିବ ଓ ସ୍ୱେଚ୍ଛାକର୍ମୀ ଭାବରେ କାମ କରନ୍ତି।

ସଦନ କାର୍ଯ୍ୟକଳାପ ମଧ୍ୟରେ ରହଛି-

  • ପ୍ରତିଦିନ ଆରମ୍ଭରେ ବିଦ୍ୟାଳୟରେ ସଭା ଆୟୋଜନ କରିବା
  • ଦିନର ଖବର ଓ ଚିନ୍ତନ ପ୍ରସ୍ତୁତ କରିବା
  • ବିଦ୍ୟାଳୟରେ ଶୃଙ୍ଖଳା ରକ୍ଷା କରିବା
  • ବିଦ୍ୟାଳୟରେ ପରିଷ୍କାର-ପରିଛନ୍ନତା ସୁନିଶ୍ଚିତ କରିବା
  • ବିଳମ୍ବରେ ଆସୁଥିବା ଛାତ୍ରଛାତ୍ରୀମାନଙ୍କୁ ଯାଞ୍ଚ କରିବା ସହ ସମସ୍ତଙ୍କ ଯୁନିଫର୍ମ ଯାଞ୍ଚ କରିବା
  • ଅନ୍ତର୍ସଦନ ଏବଂ ଅନ୍ତର୍ବିଦ୍ୟାଳୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା
  • ଶିକ୍ଷକଙ୍କ ମାର୍ଗଦର୍ଶନରେ ବିଦ୍ୟାଳୟର ଉତ୍ସବ ଆୟୋଜନ କରିବା
  • ଶ୍ରମଦାନ କାର୍ଯ୍ୟକ୍ରମରେ ସମନ୍ୱୟ ସ୍ଥାପନ କରିବା

ନିୟମିତ ବ୍ୟବଧାନରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରିବାଦ୍ୱାରା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରତିଯୋଗୀ ମନୋଭାବ ବୃଦ୍ଧି ହେବା ସହ ଗୋଷ୍ଠୀବୋଧର ବିକାଶ ଘଟିଥାଏ ଏବଂ ଏହା ସେମାନଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ତଥା ଗର୍ବବୋଧର ଅନୁଭୂତି ଆଣିଦେଇଥାଏ ।

ଛାତ୍ରୀନିବାସ

  • ଆଦର୍ଶ ବିଦ୍ୟାଳୟଗୁଡ଼ିକରେ ଛାତ୍ରୀମାନଙ୍କ ପ୍ରବେଶ ବୃଦ୍ଧି କରିବା ଓ ଶିକ୍ଷା ଅବ୍ୟାହତ ରଖିବା ଲାଗି ସେମାନଙ୍କୁ ପ୍ରୋତ୍ସାହିତ କରିବା ସକାଶେ ରାଜ୍ୟର ୧୪୫ଟି ବିଦ୍ୟାଳୟରେ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ (KGBV Type 4) ଛାତ୍ରୀନିବାସ କାର୍ଯ୍ୟକ୍ଷମ ହୋଇଅଛି । ଏହାଦ୍ୱାରା ଝିଅମାନଙ୍କୁ ହାତପାଆନ୍ତାରେ ଗୁଣାତ୍ମକ ଶିକ୍ଷା ସହ ପରିଚିତ କରାଇବା ସଂଗେ ସଂଗେ ଦୂର ସ୍ଥାନରୁ ଯିବା ଆସିବା କରିବାରେ ଅସୁବିଧାର ସମୁଖୀନ ହେଉଥିବା ଛାତ୍ରୀମାନଙ୍କୁ ନିରବଛିନ୍ନ ଶିକ୍ଷଣର ସୁବିଧା ଯୋଗାଇ ଦିଆଯାଉଅଛି । ଅଧିକରୁ ଅଧିକ ଛାତ୍ରୀଙ୍କୁ ମାଧ୍ୟମିକ ଓ ଉଚ୍ଚ-ମାଧ୍ୟମିକ ଶିକ୍ଷା ପାଇଁ ଉତ୍ସାହିତ କରିବା ଛାତ୍ରୀନିବାସ ପରିକଳ୍ପନାର ଲକ୍ଷ୍ୟ ଅଟେ ।