ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ (OAVS) ରାଜ୍ୟର ଅର୍ଦ୍ଧ-ସହରାଞ୍ଚଳ ଓ ଗ୍ରାମୀଣ ଅଞ୍ଚଳର ଛାତ୍ର-ଛାତ୍ରୀଙ୍କୁ ସି.ବି.ଏସ୍‍.ଇ.-ଅନୁବନ୍ଧିତ ଏହି ବିଦ୍ୟାଳୟଗୁଡ଼ିକରେ ନିଶୁଳ୍କ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିଥାଏ। ଆଦର୍ଶ ବିଦ୍ୟାଳୟର ଲକ୍ଷ୍ୟ ହେଉଛି ଆଧୁନିକ ଏବଂ ସାର୍ବିକ ଅଭିଗମ୍ୟତା ଆଧାରରେ ଛାତ୍ର-ଛାତ୍ରୀଙ୍କ ମଧ୍ୟରେ ଏକବିଂଶ ଶତାବ୍ଦୀ ଶିକ୍ଷଣ କୌଶଳର ବିକାଶ ସହ ସେମାନଙ୍କ ଶାରୀରିକ ଏବଂ ସୌନ୍ଦର୍ଯ୍ୟବୋଧର ବିକାଶ ଘଟାଇ ଗ୍ରାମାଞ୍ଚଳର ପ୍ରତିଭାରୂପେ ଗଢ଼ିତୋଳିବା । ଏହି ସହଶିକ୍ଷାଭିତ୍ତିକ ସ୍କୁଲ୍ ରାଜ୍ୟର ସମସ୍ତ (୩୧୪ଟି) ବ୍ଲକର ସଦରମହକୁମାରେ ପ୍ରତିଷ୍ଠିତ ହୋଇଛି ଯେଉଁଥିରେ ମାଧ୍ୟମିକ ତଥା ଉଚ୍ଚ ମାଧ୍ୟମିକ ସ୍ତରରେ ଷଷ୍ଠ (VI) ଶ୍ରେଣୀରୁ ଦ୍ୱାଦଶ (XII) ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ କରାଯାଉଛି । ଆଦର୍ଶ ବିଦ୍ୟାଳୟ ଦୂରଦୂରାନ୍ତ ଅଞ୍ଚଳରେ ଆଧୁନିକ ଶିକ୍ଷାର ପ୍ରସାର କରିବା ସହିତ ଗ୍ରାମାଞ୍ଚଳ ଓ ଛୋଟ ଛୋଟ ସହରର ଛାତ୍ର-ଛାତ୍ରୀମାନଙ୍କୁ ମୁଖ୍ୟସ୍ରୋତର ଶିକ୍ଷା ସହିତ ସମ୍ମିଳିତ କରାଇବାରେ ଏକ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଛି ।

 

ଆଦର୍ଶ ବିଦ୍ୟାଳୟ ଅଭିଯାନର ମୂଳ

  • ଆର୍ଥିକ ବର୍ଷ ୨୦୧୦-୧୧ରେ କେନ୍ଦ୍ରୀୟ ସହାୟତା ଯୋଜନାରେ ଏହା 'ମଡେଲ୍ ସ୍କୁଲ୍'ଭାବେ ଆରମ୍ଭ ହୋଇଥିଲା। କିନ୍ତୁ, ଏହାକୁ ଆର୍ଥିକ ବର୍ଷ ୨୦୧୫-୧୬ରୁ କେନ୍ଦ୍ରୀୟ ସହାୟତାରୁ ବିଚ୍ଛିନ୍ନ କରିଦିଆଯାଇଥିଲା ।
  • ଏହି ପ୍ରକଳ୍ପକୁ ‘ଆଦର୍ଶ ବିଦ୍ୟାଳୟ ସଂଗଠନ’ ନାମ ଦେଇ 2015 ସେପ୍ଟେମ୍ବର 19ରେ ଓଡ଼ିଶା ସୋସାଇଟି ରେଜିଷ୍ଟ୍ରେସନ ଆକ୍ଟ ଅନୁଯାୟୀ ପଞ୍ଜିକୃତ କରାଯାଇଥିଲା ଏବଂ ଏହାକୁ ଏକ ସୋସାଇଟିରେ ପରିଣତ କରାଯାଇଥିଲା ।
  • ସଂଗଠନର ଶୀର୍ଷ ସଂସ୍ଥା ହେଉଛି ସାଧାରଣ ସଭା ଏବଂ ସ୍କୁଲ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ହେଉଛନ୍ତି ଏହାର ସଭାପତି । କାର୍ଯ୍ୟନିର୍ବାହୀ ସମିତିର ମୁଖ୍ୟଭାବେ ପରାମର୍ଶଦାତା ତଥା କାର୍ଯ୍ୟନିର୍ବାହୀ ସଭାପତି କିମ୍ବା ଅଧ୍ୟକ୍ଷ ଦାୟିତ୍ୱ ନିର୍ବାହ କରିଥାନ୍ତି । ପରିଚାଳନା ସମିତିର ମୁଖ୍ୟ ହେଉଛନ୍ତି ଜିଲ୍ଲା ନିର୍ବାଚନ ଅଧିକାରୀ (ଡିସି) ଏବଂ ଅଧ୍ୟକ୍ଷ ହେଉଛନ୍ତି ଅତିରିକ୍ତ ମୁଖ୍ୟ ସଚିବ (ଏସିଏସ୍‍)। ସ୍କୁଲ ଏବଂ ଗଣଶିକ୍ଷା ବିଭାଗ କମିଶନର ଏବଂ ସଚିବ ହେଉଛନ୍ତି କାର୍ଯ୍ୟନିର୍ବାହୀ ସମିତି (ଅକାଦମିକ୍ସ)ର ସଭାପତି ।
  • ସମସ୍ତ ଆଦର୍ଶ ବିଦ୍ୟାଳୟରେ ବିଦ୍ୟାଳୟ ପରିଚାଳନା ଏବଂ ବିକାଶ ସଂପର୍କୀୟ ବିଷୟ ବୁଝିବାକୁ ବିଦ୍ୟାଳୟ ପରିଚାଳନା ଏବଂ ବିକାଶ କମିଟି (ଭି.ଏମ୍‍.ଡି.ସି.) ଗଠିତ ହୋଇଛି ।
  • ସଂଗଠନର ଲକ୍ଷ୍ୟ ହେଉଛି ରାଜ୍ୟର ସମସ୍ତ (314ଟି) ବ୍ଲକ୍ରେ ଗୋଟିଏ ଲେଖାଏଁ ଆଦର୍ଶ ବିଦ୍ୟାଳୟ ସ୍ଥାପନ କରିବା ।
  • ଓଡ଼ିଶା ସ୍କୁଲ ଏବଂ ଗଣଶିକ୍ଷା ବିଭାଗଦ୍ୱାରା ଓଡ଼ିଶାର ପ୍ରଥମ ଆଦର୍ଶ ବିଦ୍ୟାଳୟ 2016 ମସିହାରେ ସାନମୌଡ଼ାରେ ସ୍ଥାପିତ ହୋଇଥିଲା।
  • ଷଷ୍ଠ ଶ୍ରେଣୀରୁ ଆରମ୍ଭ କରି ଧୀରେ ଧୀରେ ଉପର ଶ୍ରେଣୀମାନ ଖୋଲାଯିବା ସଂଗେ ସଂଗେ ପ୍ରତିବର୍ଷ ନୂଆ ଛାତ୍ରଛାତ୍ରୀମାନଙ୍କୁ ଷଷ୍ଠ ଶ୍ରେଣୀରେ ଭର୍ତ୍ତି କରାଯାଉଛି ।

 

ଉଲ୍ଲେଖନୀୟ

  • କୌଣସି ଅଞ୍ଚଳରେ ସ୍ଥାପିତ ଆଦର୍ଶ ବିଦ୍ୟାଳୟ ସେହି ଅଞ୍ଚଳର ଏକ ମୁଖ୍ୟ ବିଦ୍ୟାଳୟଭାବେ କାର୍ଯ୍ୟ କରୁଛି ଏବଂ ସମ୍ପୃକ୍ତ ଅଞ୍ଚଳର ଅନ୍ୟାନ୍ୟ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକରେ ଶିକ୍ଷାର ଉତ୍କର୍ଷ ସାଧନର ଏକ କେନ୍ଦ୍ରବିନ୍ଦୁରେ ପରିଣତ ହୋଇଛି ।

 

ପ୍ରମୁଖ ବୈଶିଷ୍ଟ୍ୟ

  • ସମସ୍ତ ଆଦର୍ଶ ବିଦ୍ୟାଳୟ ‘ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ’ ମାଧ୍ୟମରେ ପରିଚାଳିତ।
  • ବିଦ୍ୟାଳୟଗୁଡ଼ିକରେ ଷଷ୍ଠରୁ ଦ୍ୱାଦଶ ପର୍ଯ୍ୟନ୍ତ ଶ୍ରେଣୀ ରହିଛି ଏବଂ ପ୍ରତ୍ୟେକ ଶ୍ରେଣୀରେ ୨ଟି ବିଭାଗ ରହିଛି । ପ୍ରତ୍ୟେକ ଶ୍ରେଣୀରେ ସର୍ବାଧିକ ୪୦ ଛାତ୍ରଛାତ୍ରୀଙ୍କୁ ନିଆଯାଇଥାଏ ।
  • ପ୍ରବେଶିକା ପରୀକ୍ଷା ମାଧ୍ୟମରେ ଛାତ୍ର-ଛାତ୍ରୀମାନଙ୍କୁ ଚୟନ କରାଯାଇଥାଏ ଏବଂ ଯୋଗ୍ୟ ଛାତ୍ରଛାତ୍ରୀମାନେ ଷଷ୍ଠ ଶ୍ରେଣୀରେ ନାମ ଲେଖାଇବାର ସୁଯୋଗ ପାଇଥାନ୍ତି।
  • ପରୀକ୍ଷାଟି ମୁଖ୍ୟତଃ ଅଣ-ମୌଖିକ ଓ ସଂକ୍ଷିପ୍ତ ପ୍ରଶ୍ନୋତ୍ତର ଧାରାରେ ହୋଇଥାଏ ଏବଂ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କ ପ୍ରତି ଅନୁକୂଳ ହେବାଭଳି ପ୍ରସ୍ତୁତ କରାଯାଇଥାଏ ।
  • ଶିକ୍ଷକ:ଛାତ୍ର ଅନୁପାତ ହାର ୧:୨୫ ।
  • ପ୍ରତ୍ୟେକ ବର୍ଗରେ ବାଳିକାମାନଙ୍କ ପାଇଁ ୫୦% ଆସନ ସଂରକ୍ଷିତ।
  • ସଂପୃକ୍ତ ବ୍ଲକର ଏସ୍‍.ସି./ଏସ୍.ଟି. ଜନସଂଖ୍ୟାର ଅନୁପାତରେ ଆସନ ସଂରକ୍ଷଣ କରାଯାଇଥାଏ ।
  • ଓଡ଼ିଆ ମାଧ୍ୟମରୁ ଇଂରାଜୀ ମାଧ୍ୟମକୁ ସାବଲୀଳ ଭାବରେ ଗତି କରିବା ପାଇଁ ସଂଯୋଜକ ପାଠ୍ୟସାମଗ୍ରୀର ବିକାଶ କରାଯାଇଛି ।
  • ଅଧ୍ୟାପନାର ମୁଖ୍ୟ ଭାଷା ଇଂରାଜୀ ଏବଂ ଦ୍ୱିତୀୟ ଭାଷାରୂପେ ଓଡ଼ିଆର ବ୍ୟବହାର କରାଯାଇଥାଏ ।
  • ସ୍କୁଲ ଲୋଗୋ, ସ୍କୁଲ୍ ପୋଷାକ ଏବଂ ବ୍ୟାଜ୍ ଆଦିର ସମରୂପତା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସମ୍ମାନବୋଧ, ଅସ୍ମିତାବୋଧ ଏବଂ ସାମାଜିକତାବୋଧ ଜାଗ୍ରତ କରିବା ପାଇଁ ଉଦ୍ଦିଷ୍ଟ ।