ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ (OAVS) ରାଜ୍ୟର ଗ୍ରାମୀଣ ଓ ଅର୍ଦ୍ଧ-ସହରାଞ୍ଚଳର ଛାତ୍ରଛାତ୍ରୀମାନଙ୍କୁ ସି.ବି.ଏସ୍‍.ଇ.-ଅନୁବନ୍ଧିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଗୁଡ଼ିକରେ ନିଶୁଳ୍କ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିଥାଏ। ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଲକ୍ଷ୍ୟ ହେଉଛି ଏକବିଂଶ ଶତାବ୍ଦୀ ଶିକ୍ଷଣ କୌଶଳ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କର ଶାରୀରିକ, ମାନସିକ, ବୌଦ୍ଧିକ ତଥା ସାମଗ୍ରିକ ବିକାଶ ଘଟାଇ ସେମାନଙ୍କୁ ଗ୍ରାମାଞ୍ଚଳର ପ୍ରତିଭାରୂପେ ଗଢ଼ିତୋଳିବା । ଏହି ସହଶିକ୍ଷାଭିତ୍ତିକ ସ୍କୁଲ ରାଜ୍ୟର ସମସ୍ତ ୩୧୪ଟି ବ୍ଲକରେ ପ୍ରତିଷ୍ଠିତ ହୋଇଛି, ଯେଉଁଥିରେ ମାଧ୍ୟମିକ ତଥା ଉଚ୍ଚ ମାଧ୍ୟମିକ ସ୍ତରରେ ଷଷ୍ଠ (VI) ଶ୍ରେଣୀରୁ ଦ୍ୱାଦଶ (XII) ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ କରାଯାଉଅଛି। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଦୂରଦୂରାନ୍ତ ଅଞ୍ଚଳରେ ଆଧୁନିକ ଶିକ୍ଷାର ପ୍ରସାର କରିବା ସହିତ ଗ୍ରାମାଞ୍ଚଳ ଓ ଛୋଟ ଛୋଟ ସହରର ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଲାଭ କରିବାର ମୁଖ୍ୟସ୍ରୋତରେ  ସମ୍ମିଳିତ କରାଇବାରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଅଛି।
 

ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଆଭିମୁଖ୍ୟ

  • ଆର୍ଥିକ ବର୍ଷ ୨୦୧୦-୧୧ରେ କେନ୍ଦ୍ରୀୟ ସହାୟତା ଯୋଜନାରେ ଏହା 'ମଡେଲ୍ ସ୍କୁଲ୍'ଭାବେ ଆରମ୍ଭ ହୋଇଥିଲା । କିନ୍ତୁ, ଏହାକୁ ଆର୍ଥିକ ବର୍ଷ ୨୦୧୫-୧୬ରୁ କେନ୍ଦ୍ରୀୟ ସହାୟତାରୁ ବିଚ୍ଛିନ୍ନ କରି ଅତିରିକ୍ତ ବୈଶିଷ୍ଟ୍ୟ ସହ ରାଜ୍ୟ ପ୍ରକଳ୍ପ ଭାବେ ପରିଚାଳିତ ହୋଇଆସୁଛି ।
  • ଏହି ପ୍ରକଳ୍ପକୁ ‘ଆଦର୍ଶ ବିଦ୍ୟାଳୟ ସଂଗଠନ’ ନାମ ଦେଇ ୨୦୧୫ ସେପ୍ଟେମ୍ବର ୧୯ରେ ଓଡ଼ିଶା ସୋସାଇଟି ରେଜିଷ୍ଟ୍ରେସନ ଆକ୍ଟ ୧୮୬୦ ଅନୁଯାୟୀ ପଞ୍ଜିକୃତ କରାଯାଇଥିଲା । ଫଳରେ ଏହା ଏକ ସୋସାଇଟିରେ ପରିଣତ ହୋଇଥିଲା ।
  • ସଂଗଠନ ପରିଚାଳନାର ଶୀର୍ଷ ସଂସ୍ଥା ହେଉଛି ସାଧାରଣ ସଭା(General Body) ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ହେଉଛନ୍ତି ଏହାର ସଭାପତି । କାର୍ଯ୍ୟନିର୍ବାହୀ ସମିତିର ମୁଖ୍ୟ ଭାବେ ପରାମର୍ଶଦାତା ତଥା କାର୍ଯ୍ୟନିର୍ବାହୀ ସଭାପତି କିମ୍ବା ଅଧ୍ୟକ୍ଷ ଦାୟିତ୍ୱ ନିର୍ବାହ କରିଥାନ୍ତି । ପରିଚାଳନା ସମିତିର ମୁଖ୍ୟ ହେଉଛନ୍ତି  ଉନ୍ନୟନ ଆୟୁକ୍ତ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ। ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଆୟୁକ୍ତ ତଥା ଶାସନ ସଚିବ ହେଉଛନ୍ତି କାର୍ଯ୍ୟନିର୍ବାହୀ ସମିତି (ଏକାଡେମିକ୍ସ)ର ସଭାପତି । 
  • ସମସ୍ତ ଆଦର୍ଶ ବିଦ୍ୟାଳୟରେ ବିଦ୍ୟାଳୟ ପରିଚାଳନା ଏବଂ ବିକାଶ ସଂପର୍କୀୟ ବିଷୟ ବୁଝିବାକୁ ବିଦ୍ୟାଳୟ ପରିଚାଳନା ଏବଂ ବିକାଶ କମିଟି (ଭି.ଏମ୍‍.ଡି.ସି.) ଗଠିତ ହୋଇଛି ।
  • ରାଜ୍ୟର ପ୍ରତ୍ଯେକ ବ୍ଲକରେ ଗୋଟିଏ ଲେଖାଏଁ ଆଦର୍ଶ ବିଦ୍ୟାଳୟ ସ୍ଥାପନ କରିବା ସଂଗଠନର ଲକ୍ଷ୍ୟ ଥିଲା । ଏହି ଲକ୍ଷ୍ୟ ଅନୁସାରେ ବର୍ତ୍ତମାନ ସୁଦ୍ଧା ୩୧୪ ଟି ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକ୍ଷମ ହୋଇସାରିଛି । 
  • ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କ ଦ୍ବାରା ପ୍ରଥମ ଆଦର୍ଶ ବିଦ୍ୟାଳୟ ୨୦୧୬ ମସିହାରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ସ୍ଥିତ ସାନମୌଦା ଠାରେ ସ୍ଥାପିତ ହୋଇଥିଲା।
  • ଷଷ୍ଠ ଶ୍ରେଣୀରୁ ଆରମ୍ଭ କରି କ୍ରମଶଃ ଉପର ଶ୍ରେଣୀମାନ ଖୋଲାଯିବା ସହ ପ୍ରତିବର୍ଷ ନୂଆ ଛାତ୍ରଛାତ୍ରୀମାନଙ୍କୁ ଷଷ୍ଠ ଶ୍ରେଣୀରେ ଭର୍ତ୍ତି କରାଯାଉଛି ।

 

ପ୍ରମୁଖତା

  • କୌଣସି ଅଞ୍ଚଳରେ ସ୍ଥାପିତ  ଆଦର୍ଶ ବିଦ୍ୟାଳୟ ସେହି ଅଞ୍ଚଳର ଏକ ମୁଖ୍ୟ ବିଦ୍ୟାଳୟ ଭାବେ କାର୍ଯ୍ୟ କରୁଅଛି ଏବଂ ସମ୍ପୃକ୍ତ ଅଞ୍ଚଳର ଅନ୍ୟାନ୍ୟ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକରେ ଶିକ୍ଷାର ଉତ୍କର୍ଷ ସାଧନର ଏକ କେନ୍ଦ୍ରବିନ୍ଦୁରେ ପରିଣତ ହୋଇଅଛି ।

 

ପ୍ରମୁଖ ବୈଶିଷ୍ଟ୍ୟ

  • ସମସ୍ତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ଦ୍ୱାରା ପରିଚାଳିତ।
  • ବିଦ୍ୟାଳୟଗୁଡ଼ିକରେ ଷଷ୍ଠରୁ ଦ୍ୱାଦଶ ପର୍ଯ୍ୟନ୍ତ ଶ୍ରେଣୀ ରହିଛି ଏବଂ ପ୍ରତ୍ୟେକ ଶ୍ରେଣୀରେ ୨ଟି ବିଭାଗ ରହିଛି । ପ୍ରତ୍ୟେକ ବିଭାଗରେ ସର୍ବାଧିକ ୪୦ ଛାତ୍ରଛାତ୍ରୀଙ୍କୁ ନିଆଯାଇଥାଏ ।
  • ପ୍ରବେଶିକା ପରୀକ୍ଷା ମାଧ୍ୟମରେ ଛାତ୍ର-ଛାତ୍ରୀମାନଙ୍କୁ ଚୟନ କରାଯାଇଥାଏ ଏବଂ ଯୋଗ୍ୟ ଛାତ୍ରଛାତ୍ରୀମାନେ ଷଷ୍ଠ ଶ୍ରେଣୀରେ ନାମ ଲେଖାଇବାର ସୁଯୋଗ ପାଇଥାନ୍ତି। ପାର୍ଶ୍ଵିକ ପ୍ରବେଶିକା ପରୀକ୍ଷା ମାଧ୍ୟମରେ ସପ୍ତମ, ଅଷ୍ଟମ ଓ ନବମ ଶ୍ରେଣୀରେ ଖାଲିଥିବା ସ୍ଥାନରେ ଛାତ୍ରଛାତ୍ରୀମାନେ ନାମ ଲେଖାଇଥାନ୍ତି । 
  • ପରୀକ୍ଷାଟି ମୁଖ୍ୟତଃ ଅଣ-ମୌଖିକ ଓ ସଂକ୍ଷିପ୍ତ ପ୍ରଶ୍ନୋତ୍ତର ଧାରାରେ ହୋଇଥାଏ ଏବଂ  ଏହା ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କ ପ୍ରତି ଅନୁକୂଳ ହେବାଭଳି ପ୍ରସ୍ତୁତ କରାଯାଇଥାଏ ।
  • ଶିକ୍ଷକ:ଛାତ୍ର ଅନୁପାତ ହାର ୧:୨୫ ।
  • ନାମଲେଖା ସମୟରେ ପ୍ରତ୍ୟେକ ବର୍ଗରେ ବାଳିକାମାନଙ୍କ ପାଇଁ ୫୦% ଆସନ ସଂରକ୍ଷିତ ରହିଥାଏ ।
  • ସଂପୃକ୍ତ ବ୍ଲକର ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଜନସଂଖ୍ୟାର ଅନୁପାତରେ ଆସନ ସଂରକ୍ଷଣ କରାଯାଇଥାଏ।
  • ଓଡ଼ିଆ ମାଧ୍ୟମରୁ ଇଂରାଜୀ ମାଧ୍ୟମକୁ ସାବଲୀଳ ଭାବରେ ଗତି କରିବା ପାଇଁ ସଂଯୋଜକ ପାଠ୍ୟସାମଗ୍ରୀର ବିକାଶ କରାଯାଇଛି ।
  • ଶିକ୍ଷାଦାନର ମୁଖ୍ୟ ଭାଷା ଇଂରାଜୀ ଏବଂ ଦ୍ୱିତୀୟ ଭାଷା ରୂପେ ଓଡ଼ିଆ ବ୍ୟବହାର କରାଯାଇଥାଏ ।
  • ବିଦ୍ୟାଳୟର ପ୍ରତୀକ, ବିଦ୍ୟାଳୟର ପୋଷାକ ଏବଂ ବ୍ୟାଜ୍ ଆଦିର ସମରୂପତା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସମ୍ମାନବୋଧ, ଅସ୍ମିତାବୋଧ ଏବଂ ସାମାଜିକତାବୋଧ ଜାଗ୍ରତ କରିବା ପାଇଁ ଉଦ୍ଦିଷ୍ଟ ।